ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚଳିତ ମାସରେ ଆଉ ୨ଟି ଲଘୁଚାପ: ୭ରେ ପ୍ରଥମ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ସେପ୍ଟେମ୍ବର ମାସରେ ରାଜ୍ୟରେ ମିଶ୍ରିତ ବର୍ଷା ହେବ। ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ହେବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାର ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ କିଛି ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମ୍‍ ରହିବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ସେପ୍ଟେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ୨ ଟି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ଼. ମୃତ୍ୟୁଞ୍ଜୟ ମହାପାତ୍ର ପ୍ରଥମ ଲଘୁଚାପଟି ୭ ତାରିଖ ବେଳକୁ ହୋଇପାରେ ଆକଳନ କରିଛନ୍ତି। ଦ୍ୱିତୀୟ ଲଘୁଚାପ ସମ୍ପର୍କରେ ଏଯାଏ ବିସ୍ତୃତ ତଥ୍ୟ ସ୍ପଷ୍ଟ ହୋଇ ନ ଥିଲେ ହେଁ ପାଣିପାଗ ବିଭାଗ ବିସ୍ତାରିତ ପରିସର ଆକଳନରେ ୨ ଟି ଲଘୁଚାପ ନେଇ ପୂର୍ବାନୁମାନ କରାଯାଇଛି। ତେଣୁ ୨ ଟି ଲଘୁଚାପରେ ରାଜ୍ୟକୁ ଭଲ ବର୍ଷା ମିଳିବ ବୋଲି ଆକଳନ କରାଯାଇଛି।

ଅନ୍ୟପଟେ ଚଳିତ ବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ବିଳମ୍ବ ହୋଇପାରେ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ସାଧାରଣତଃ ସେପ୍ଟେମ୍ବର ୧ ତାରିଖରୁ ଦେଶରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ପ୍ରଥମେ ରାଜସ୍ଥାନ ଓ ପଞ୍ଜାବ ପଟୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇଥାଏ। ହେଲେ ଚଳିତ ବର୍ଷ ୧୫ ତାରିଖ ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରେ ପ୍ରବଳ ବର୍ଷାର ଆକଳନ କରାଯାଇଛି। ତେଣୁ ମୌସୁମୀ ବିଳମ୍ବରେ ପ୍ରତ୍ୟାବର୍ତ୍ତନ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଓଡ଼ିଶାରେ ଅକ୍ଟୋବର ୧୫ ବେଳକୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇଥାଏ। ତେଣୁୁ ଓଡ଼ିଶାରୁ ଏହି ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହୋଇପାରେ ବୋଲି ମଧ୍ୟ କୁହାଯାଉଛି।

ବର୍ତ୍ତମାନ ଦୁର୍ବଳ ମୌସୁମୀ ଯୋଗୁଁ ନିର୍ମଳ ଆକାଶ ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ୩ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାକୁ ଥିବା ବେଳେ ଶୁକ୍ରବାର ଘଡ଼ଘଡ଼ି ସହ ବର୍ଷା ନେଇ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଶନିବାର ୧୭ ଟି ଜିଲ୍ଲାରେ ଏହି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି।

Leave A Reply

Your email address will not be published.