ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ, ୩ ରନରେ ଜିତିଲା ଟିମ୍ ଇଣ୍ଡିଆ

ପୋର୍ଟ ଅଫ୍‍ ସ୍ପେନ୍‍: ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ । କୁଇନ୍ସ ପାର୍କ ଓଭାଲରେ ଶୁକ୍ରବାର ଖେଳା ଯାଇଥିବା ହାଇ ସ୍କୋରିଂ ମ୍ୟାଚରେ ଭାରତ ୩ ରନ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ବିଜୟ ହାସଲ କରିଛି । ଏହି ବିଜୟ ସହ ଟିମ୍ ଇଣ୍ଡିଆ ୧-୦ରେ ସିରିଜ ଅଗ୍ରଣୀ ହାସଲ ରହିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଅଧିନାୟକ ଶିଖର ଧାୱନ, ଶୁଭମନ ଗିଲ ଓ ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍‌ ହରାଇ ୩୦୮ ରନ୍‌ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ ୬ ୱିକେଟ୍‌ ହରାଇ ୩୦୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।

୩୦୯ ରନ୍ ଜବାବରେ ଓ୍ବେଷ୍ଟଇଣ୍ଡିଜ୍ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ ସହ ମ୍ୟାଚକୁ ଶେଷ ବଲ୍ ପର୍ଯ୍ୟନ୍ତ ଟାଣିଥିଲା । ଶେଷ ଦୁଇ ଓଭରରେ ଦଳ ବିଜୟ ପାଇଁ ୨୭ ରନ୍ ଆବଶ୍ୟକ କରୁଥିଲା। ବ୍ୟାଟିଂ କରୁଥିଲେ ଅକୀଲ ହୁସେନ ଓ ରୋମାରିୟ ସେଫର୍ଡ । ୪୯ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ୧୨ ରନ୍ ଦେଇଥିଲେ। ଅନ୍ତିମ ଓଭର ପ୍ରଥମ ବୋଲିଂ କରିଥିଲେ ମହମ୍ମଦ ସିରାଜ । ୬ ବଲରେ ଇଣ୍ଡିଜ ୧୫ ରନ୍ ଆବଶ୍ୟକ କରୁଥ୍ ବାବେଳେ ସିରାଜ ୧୧ ରନ୍ ବ୍ୟୟ କରି ଭାରତକୁ ବିଜୟୀ କରାଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ, ସର୍ଦୁଲ ଠାକୁର ଓ ଚହଲ ପ୍ରତ୍ୟେକ ୨ଟି କରି ୱିକେଟ୍ ହାସଲ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ କାଇଲ ମେୟର୍ସ ସର୍ବାଧିକ ୭୫ ରନ୍ କରିଥିବା ବେଳେ ବ୍ରାଣ୍ଡନ କିଙ୍ଗ୍ ୫୪ ଓ ସାମର ବ୍ରୁକ୍‌ ୪୭ ରନ୍ କରିଥିଲେ।

ପୂର୍ବରୁ ଘରୋଇ ଅଧୂନାୟକ ନିକୋଲାସ ପୁରାନ ଟସ୍ ଜିତିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଭେଟେରାନ ଶିଖର ଧାୱନଙ୍କ ସହ ଓପନିଂ କରି ଯୁବ ତାରକା ଶୁଭମନ ଗିଲ ବେଶ୍ ଭଲ ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍‌ରେ ଦୁହେଁ ୧୧୯ ରନ୍‌ର ଭାଗିଦାରୀ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ସାମାନ୍ୟ ତାଳମେଳର ଅଭାବ ଯୋଗୁ ଗିଲ୍ ରନ୍ ଆଉଟ୍ ହୋଇଥିଲେ । ସେ ୬୪ ରନ୍ କରିଥିଲେ। ଧାୱନ ଆକର୍ଷଣୀୟ ପ୍ରଦର୍ଶନ ସହ ଶତକୀୟ ଇନିଂସ ଦିଗରେ ଅଗ୍ରସର ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ଶେଷରେ ସେ ମାତ୍ର ୩ ରନ୍‌ରୁ ଶତକରୁ ବଞ୍ଚିତ ହୋଇଥିଲେ। ୯୯ ବଲରୁ ଧାନ ୯୭ ରନ୍ ସଂଗ୍ରହ କରିଥିଲେ । ଏଥିରେ ୧୦ଟି ଚୌକା ଓ ୩ଟି ଛକା ସାମିଲ ରହିଥିଲା। ଶ୍ରେୟାସ ୫୪ ରନ୍ କରି ପାଭିଲିୟନ ଫେରିଥିଲେ। ସୂର୍ଯ୍ୟକୁମାର ଯାଦବ (୧୩) ବଡ଼ ଇନିଂସ ଖେଳିବାରେ ବିଫଳ ରହିଥିଲେ। ସଞ୍ଜୁ ସାମସନ (୧୨) ମଧ୍ୟ ଦଳକୁ ନିରାଶ କରିଥିଲେ। ପରେ ଦୀପକ ହୁଡା (୨୭) ଓ ଅକ୍ଷର ପଟେଲ (୨୧) ଦାୟିତ୍ଵପୂର୍ଣ୍ଣ ପ୍ରଦର୍ଶନ ଯୋଗୁ ଦଳ ୭/୩୦୮ ରନ୍‌ରେ ପହଞ୍ଚିଥିଲା। ସର୍ଦୁଲ ଠାକୁର ୭ ଓ ମହମ୍ମଦ ସିରାଜ ୧ ରନ୍ କରି ଅପରାଜିତ ରହିଥିଲେ। ଇଣ୍ଡିକ ପକ୍ଷରୁ ଆଲଜରି ଯୋଶେଫ୍ ଓ ଗୁଡାକେଶ ମୋତି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

Leave A Reply

Your email address will not be published.