ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ସକାଳ’ର ପ୍ରଥମ ସ୍ବନକ୍ଷତ୍ର : ‘ଖବରରେ ତଥ୍ୟ ଓ ନିରପେକ୍ଷତା ଥିଲେ ଖବରକାଗଜ ଗ୍ରହଣୀୟ ହେବ’

ଭୁବନେଶ୍ବର : ପ୍ରଥମ ବର୍ଷରେ ପାଦ ଥାପିଛି ଦୈନିକ ଓଡ଼ିଆ ଖବରକାଗଜ ’ସକାଳ’। ଗୁରୁବାର ’ସକାଳ’ର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତା ଏକ ସୁସ୍ଥ ଗଣତନ୍ତ୍ରରେ ଖବର କାଗଜର ଗୁରୁତ୍ୱ  ଏବଂ  ଏହା ଏକ ସୁସ୍ଥ ପରମ୍ପରା ଦିଗରେ କିପରି କାମ କରେ ତାହା କହିଛନ୍ତି। ସେ କହିଛନ୍ତି ଯଦି ଗୋଟିଏ ସମ୍ବାଦପତ୍ର ‘ଭିନ୍ନମତ’କୁ ସମ୍ମାନ ଦିଏ, ତେବେ ତାର ଭବିଷ୍ୟତ ବେଶ୍ ଉଜ୍ୱଳ।ଖବରକାଗଜଟିଏ ଖବର ପରିବେଷଶ ଶୈଳୀକୁ ନେଇ ପାଠକ ମନରେ ଉନ୍ମାଦନା ସୃଷ୍ଟି କରେ। କାହା ମାଲିକାନାରେ ଖବରକାଗଜ ପ୍ରକାଶିତ ହେଉଛି ତାହା ବଡ଼ ନୁହେଁ । ଯଦି ଖବରରେ ତଥ୍ୟ ଓ ନିରପେକ୍ଷତା ଥିବ ତେବେ ତାହା ଗ୍ରହଣୀୟ ହେବ ବୋଲି କହିଛନ୍ତି ଦେଶର ବିଶିଷ୍ଟ ସାମ୍ବାଦିକ ପଦ୍ମଭୂଷଣ ଶେଖର ଗୁପ୍ତା।

ଅନ୍ୟପଟେ ସାମ୍ପ୍ରତିକ ରାଜନୀତି ଉପରେ ମନ୍ତବ୍ୟ ଦେଇ ଶେଖର ଗୁପ୍ତା କହିଥିଲେ ଯେ, ଯେଉଁ ଦଳ ଏବେ ଓଡ଼ିଶାକୁ ଶାସନ କରୁଛି ତାହା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଦଳ । ମୁଁ ଭାରତର ରାଜ୍ୟଙ୍କୁ ସେମାନଙ୍କ ଲୋକସଭା ଆସନ ସଂଖ୍ୟାକୁ ନେଇ ତିନି ଭାଗରେ ବିଭକ୍ତ କରିଥାଏ । ୪୦ରୁ ଅଧିକ ଲୋକସଭା ଆସନ ବିଶିଷ୍ଟ ରାଜ୍ୟ, ୪୦ରୁ କମ ଆସନ ସଂଖ୍ୟା ବିଶିଷ୍ଟ ରାଜ୍ୟ ଓ ୩୦ରୁ କମ ଆସନ ସଂଖ୍ୟା ବିଶିଷ୍ଟ ରାଜ୍ୟ । ଓଡ଼ିଶା ତୃତୀୟ ବର୍ଗରେ ଆସିଥାଏ । ଆମେ ସମସ୍ତେ ଗୁଜୁରାଟ, ମଧ୍ୟପ୍ରଦେଶ ରାଜନୀତି ବାବଦରେ ଜାଣିଛେ । ଆମେ ସମସ୍ତେ କର୍ଣ୍ଣାଟକ ବାବଦରେ ଜାଣିଛେ । ଲୋକସଭା ଆସନ ଦୃଷ୍ଟିରୁ କର୍ଣ୍ଣାଟକ ସହିତ ଓଡ଼ିଶା ପ୍ରାୟ ସମାନ । ଏଠାରେ ଗୋଟିଏ ଦଳର ରାଜନୈତିକ ପ୍ରଭାବ ରହିଛି । ଆଉ ଏହାର ଲୋକସଭାରେ ଦୁଇ ଅଙ୍କ ବିଶିଷ୍ଟ ପ୍ରତିନିଧି ରହିଛନ୍ତି । ଏହି ଦୃଷ୍ଟିରୁ ଜାତୀୟ ରାଜନୀତିରେ ବିଜେଡିର ଗୁରୁତ୍ୱ ରହିଛି ।

ଓଡ଼ିଶା ବାବଦରେ ଜାଣିବାର ଆବଶ୍ୟକତା ରହିଛି

ଦେଶର ବିଶିଷ୍ଟ ସାମ୍ବାଦିକ ପଦ୍ମଭୂଷଣ ଶେଖର ଗୁପ୍ତା ଓଡ଼ିଶାକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଓଡ଼ିଶା ବାବଦରେ ଜାଣିବାର ଆବଶ୍ୟକତା ରହିଛି। ଓଡ଼ିଶା ସମ୍ବନ୍ଧରେ ଭାରତ କମ ଜାଣିଛି  । ସେ କହିଥିଲେ ଯେ, ସେ ନିଜେ ଗୋଟିଏ ଘଟଣା ପରେ ଜାଣିବାକୁ ପାଇଥିଲେ ଯେ, ଓଡ଼ିଶା ହେଉଛି ଭାଷାଭିତିରେ ଗଠିତ ଦେଶର ପ୍ରଥମ ରାଜ୍ୟ । ତାମିଲନାଡୁର ପ୍ରତିଷ୍ଠା ଦିବସ କେବେ ପାଳିତ ହେବା ଆବଶ୍ୟକ ତାକୁ ନେଇ ସେଠାରେ ଚାଲିଥିବା ରାଜନୈତିକ ବୟାନବାଜୀ ଉପରେ ଅଧିକ ଅଧ୍ୟୟନ କାଳରେ ଓଡ଼ିଶା କେମିତି ଭାଷାଭିତ୍ତିରେ ପ୍ରଥମ ରାଜ୍ୟ ଭାବେ ଜନ୍ମ ନେଇଥିଲା ସେ କଥା କହିଥିଲେ ଗୁପ୍ତା ।

ବାତ୍ୟା ଆସିଲେ ଜାତୀୟ ଗଣମାଧ୍ୟମ ଓଡ଼ିଶାକୁ ଫୋକସ୍ କରନ୍ତି

ଏହାଛଡ଼ା ସେ କହିଲେ, ଜାତୀୟ ରାଜନୀତିରେ ଓଡ଼ିଶା ଖବରକୁ ବିଶେଷ ଗୁରୁତ୍ବ ଦିଆନଯିବା ରାଜ୍ୟର ସୁଶାସନକୁ ଦର୍ଶାଉଛି । ତାଙ୍କ ମତରେ, ଆଜିକାଲି ଜାତୀୟ ଗଣମାଧ୍ୟମ ସାଧାରଣତ କେଉଁଠି କ’ଣ ଘଟିଥି, କେଉଁଠି ଦଙ୍ଗା ହେଲା, ଏମିତି ଖବର ପ୍ରସାରଣ କରୁଛନ୍ତି । ହେଲେ ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଠାରେ ସେମିତି କିଛି ଘଟୁନାହିଁ ଯାହା ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିବ । ରାଜ୍ୟ ସରକାରଙ୍କ ଭଲ ନେତୃତ୍ବ ଓ ଭଲ କାମ ପାଇଁ ଏହା ସମ୍ଭବ ହେଉଛି । ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଦଳ ବହୁତ ଶକ୍ତିଶାଳି ରହିଛି । ଏହା କେବଳ ନବୀନ ବାବୁଙ୍କ ସଫଳ ନେତୃତ୍ବରୁ ହୋଇପାରିଛି । ବିଜୁ ପଟ୍ଟନାୟକଙ୍କ କଥା ମନେ ପକାଇ ସେ କହିଥିଲେ । ଜାତୀୟସ୍ତରରେ ବିଜୁ ପଟ୍ଟନାୟକ ଏକ ପରିଚିତ ନାଁ ଓ ନେତା ଥିଲେ । ଏହାଛଡ଼ା ସେ କହିଲେ, ବାତ୍ୟା ଆସିବା ମାତ୍ରେ ଜାତୀୟ ଗଣମାଧ୍ୟମର ଫୋକସ୍ ଓଡ଼ିଶା ଆଡ଼କୁ ଢଳେ । ବାତ୍ୟା ମୁକାବିଲାରେ ଓଡ଼ିଶା ପୂର୍ଣ୍ଣ ସଫଳ ହେବା ବଡ଼ କଥା ।

ଅନ୍ୟତମ ଅତିଥି ଓଡ଼ିଶା ଦକ୍ଷତା ବିକାଶ ସଂସ୍ଥାର ଅଧ୍ୟକ୍ଷ ସୁବ୍ରତ ବାଗଚୀ କହିଲେ, ଖବରକାଗଜ ଉପରେ ପାଠକଙ୍କର ବଡ଼ ଭରସା । ଏ ବିଶ୍ୱାସ ଅତୁଟ ରଖିବାକୁ ଗୁଣାତ୍ମକ ମାନ, ସୃଜନଶୀଳତା, ଖବର ଲେଖିବାର ଶୈଳୀ ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଗୋଟିଏ ସମ୍ବାଦପତ୍ରର ବ୍ରାଣ୍ଡ ଭାଲ୍ୟୁ ହିଁ ଅଧିକରୁ ଅଧିକ ଲୋକଙ୍କୁ ନିଜ ସହ ଯୋଡ଼େ । ମାନବ ସମ୍ବଳ ହେଉଛି ଖବରକାଗଜର ଆତ୍ମା । ତେଣୁ ସେମାନଙ୍କ ଦକ୍ଷତାର ପୂର୍ଣ୍ଣ ବିନିଯୋଗ ହେବା ଦରକାର ।

ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସାମିଲ ହେବା ସହ ଶ୍ରୀ ଗୁପ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ’ସକାଳ’ ସମ୍ପାଦକ ଡ. ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ ଓ କାର୍ଯ୍ୟକାରୀ ସମ୍ପାଦକ ସମରେନ୍ଦୁ ଦାସ, ବିରୋଚିଫ୍‌ ରଞ୍ଜିତ ମହାନ୍ତି ଯୋଗ ଦେଇ ’ସକାଳ’ ଓଡ଼ିଶାର ଜନଜୀବନ ସହ ଯୋଡ଼ି ହୋଇ ରହିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଏ ଅବସରରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା, ବୈଜ୍ଞାନିକ ଜ୍ଞାନଦେବ ମହାରଣାଙ୍କୁ ଜୀବନବ୍ୟାପୀ ସାଧନାପାଇଁ ‘ଲାଇଫ ଟାଇମ୍‌ ଆଚିଭମେଣ୍ଟ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ’ସକାଳ’ ସ୍ବନକ୍ଷତ୍ର ବିଶେଷାଙ୍କ ’ସୃଷ୍ଟି’ ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ସଚିବ ବିଷ୍ଣୁପଦ ସେଠୀ, ’ନନ୍ଦିଘୋଷ ଟିଭି’ ସଂପାଦକ ଶିଶିର ଭଟ୍ଟମିଶ୍ର, ସିଇଓ ଜବର ସିଂହ ପନଓ୍ବର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

1st Aniversary of The Sakala

 

 

Leave A Reply

Your email address will not be published.