ଆମେରିକାରେ ବ୍ୟାଙ୍କିଙ୍ଗ ସଙ୍କଟକୁ ନେଇ ଗବେଷଣା ରିପୋର୍ଟ: ୧୮୬ ବ୍ୟାଙ୍କ ପ୍ରତି ରହିଛି ଦେବାଳିଆ ହେବାର ବିପଦ

ୱାଶିଂଟନ୍: ସଂପ୍ରତି ଆମେରିକାରେ ଦେଖାଯାଇଥିବା ବ୍ୟାଙ୍କିଙ୍ଗ ସଙ୍କଟ ବିଭିନ୍ନ ମହଲକୁ ଚିନ୍ତିତ କରିଛି। ଆମେରିକାର ୧୬ତମ ପ୍ରମୁଖ ବ୍ୟାଙ୍କିଙ୍ଗ ଉଦ୍ୟୋଗ ଭାବେ ସିଲିକନ ଭ୍ୟାଲି ବ୍ୟାଙ୍କ(ଏସଭିବି) ବନ୍ଦ ହେବା ପରେ ଏବେ ଆଉ ଏକ ଆଗ ଧାଡିର ବ୍ୟାଙ୍କ ‘ଫାଷ୍ଟ ରିପ୍ଳବିକ୍’ ମଧ୍ୟ ବନ୍ଦ ହେବାକୁ ଯାଉଛି। ଯଦିଓ ଏହି ବ୍ୟାଙ୍କକୁ ସୁଧାରିବା ଲାଗି ଆମେରିକାର ବହୁ ବ୍ୟାଙ୍କିଙ୍ଗ ସଂସ୍ଥା ଆଗେଇ ଆସିଛନ୍ତି, ତଥାପି ବ୍ୟାଙ୍କିଙ୍ଗ ଉଦ୍ୟୋଗୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଜଟିଳ ହେବାକୁ ଯାଉଛି । କାରଣ ଆଗକୁ ଆହୁରି ବହୁତ ବ୍ୟାଙ୍କ ଏଭଳି ସ୍ଥିତି ସାମ୍ନା କରିବାର ଆଶଙ୍କା ରହିଛି ବୋଲି ଏ ସମ୍ପର୍କରେ ବିଶେଷଜ୍ଞମାନଙ୍କ ଦ୍ବାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି
। ଆମେରିକାର ସୋସିଆଲ ସାଇନ୍ସ ରିସର୍ଚ୍ଚ ନେଟୱର୍କ ଦ୍ବାରା ‘ମନଟାରି ଟାଇଟନିଂ ଆଣ୍ଡ ୟୁଏସ୍ ବ୍ୟାଙ୍କିଙ୍ଗ ଫ୍ରାଜିଲିଟି-୨୦୨୩’ ବିଷୟକୁ ନେଇ ଗବେଷଣା କରାଯାଇଥÒଲା ବେଳେ ଏକ ରିପୋର୍ଟରେ କୁହାଯାଇଛି ଯେ, ଆମେରିକାର ୧୮୬ଟି ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଚାଲିଯିବାର ଆଶଙ୍କା ରହିଛି। ବିଶେଷକରି କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ଜାରି କରାଯାଇଥିବା ଅଧିକ ସୁଧ ହାର ଏବଂ ସର୍ବାଧିକ ଅଣ ବୀମାକୃତ ଜମା ଏହାର ମୁଖ୍ୟ କାରଣ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଯେଉଁ ଜମାମାରୀଙ୍କ ଜମା ପରିମାଣ ୨.୫ ଲକ୍ଷ ଡଲାରରୁ ଅଧିକ ରହିଛି ସେ ତୁଳନାରେ ସଂପୃକ୍ତ ବ୍ୟାଙ୍କର ପୁଞ୍ଜି ଅନୁପାତକୁ ମଧ୍ୟ ତଜର୍ମା କରାଯାଇଛି।