ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଟିଏମ୍‌ ପୁନରୁଦ୍ଧାର ପାଇଁ ୧୫୦ କୋଟି ପଇଠ କରିବେ ରାଜ୍ୟ ସରକାର, କର୍ମଚାରୀଙ୍କ ବକେୟା ହିସାବ ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତ

କଟକ : ଓଡ଼ିଶା ଟେକ୍ସଟାଇଲ ମିଲ୍‍(ଓଟିଏମ)ର ପୁନରୁଦ୍ଧାର ନେଇ ବାଟ ଫିଟୁଛି। ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଆଇନଗତ ବିବାଦର ଖୁବଶୀଘ୍ର ଅବସାନ ଘଟିପାରେ ବୋଲି କୁହାଯାଉଛି। ତେବେ ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣିକୁ ଅପେକ୍ଷା ରହିଛି। ଓଟିଏମ ସଂକ୍ରାନ୍ତୀୟ ମାମଲାର ଶୁଣାଣି ଆଜି ହାଇକୋର୍ଟରେ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଟିଏମ ଅଧିଗ୍ରହଣ ପାଇଁ ୧୫୦ କୋଟି ଟଙ୍କା ପଇଠ କରାଯିବ ବୋଲି ସତ୍ୟପାଠ ଦିଆଯାଇଛି। ଅନ୍ୟପଟରେ ଓଟିଏମ ମାମଲାରେ ନିଯୁକ୍ତ ଅଫିସିଆଲ ଲିକ୍ୟୁଡେଟରଙ୍କ ପକ୍ଷରୁ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ହିସାବ ପାଇଁ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ନିଯୁକ୍ତ କରିବା ପାଇଁ ଅଦାଲତଙ୍କୁ ଅନୁରୋଧ କରାଯାଇଥିଲା। ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଏହି ମାମଲାର ଶୁଣାଣି କରି ଆସନ୍ତା ୬ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଦାଲତରେ ଉପସ୍ଥିତ ରହି ଆଡଭୋକେଟ ଜେନେରାଲ ଦର୍ଶାଇଥିଲେ ଯେ ଓଟିଏମ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୫କୋଟି ଟଙ୍କା ଡିପୋଜିଟ କରାଯାଇଛି। ରାଜ୍ୟ ସରକାର ୩୦କୋଟି ଦେଇଥିବା ବେଳେ ବାକି ୫କୋଟି ଇଡକୋ ପକ୍ଷରୁ ପ୍ରଦାନ କରାଯାଇଛି। ଇତିମଧ୍ୟରେ କେତେକ କର୍ମଚାରୀଙ୍କୁ ଏହି ଟଙ୍କାରୁ ବକେୟା ପ୍ରଦାନ କରାଯାଇଛି ଓ ପ୍ରକ୍ରିୟା ଜାରି ରହିଛି। ସରକାର ଆଉ ୧୫୦କୋଟି ଜମା କରିବେ ବୋଲି ଆଡଭୋକେଟ ଜେନେରାଲ ଆଶୋକ ପରିଜା ଅଦାଲତଙ୍କୁ ଅବଗତ କରାଇଛନ୍ତି। ଏଣୁ ସମସ୍ତ ପ୍ରାପ୍ୟ ପ୍ରଦାନ ପରେ ବି ସରକାର ଏଥିରୁ ବଳକା କିଛି ଟଙ୍କା ଫେରିପାଇବେ ବୋଲି ମଧ୍ୟ କୁହାଯାଇଛି।ଅନ୍ୟପଟରେ ରାଜ୍ୟସରକାର ଏହି ୫୨୧ଏକର ପରିମିତ ଓଟିଏମକୁ ଅଧିଗ୍ରହଣ କରି ପୁନରୁଦ୍ଧାର କରିବା ପାଇଁ ଇଛା ପ୍ରକାଶ କରିଛନ୍ତି।

ସେହିପରି ଓଟିଏମ କ୍ୱାର୍ଟରରେ ବିଜୁଳି ସଂଯୋଗ ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଗୋଟିଏ ମିଟରରେ ୯୦କ୍ୱାର୍ଟରକୁ ବିଜୁଳି ସଂଯୋଗ ହୋଇଥିବା କୁହାଯାଇଥିଲା। ସବୁ କ୍ୱାର୍ଟରକୁ ପୃଥକ ପୃଥକ ମିଟର ସଂଯୋଗ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ବିଧାନସଭାରେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଏ ନେଇ ସ୍ପଷ୍ଟ କରିଛନ୍ତି। ଏନେଇ ଅଫିସିଆଲ ଲିକ୍ୟୁଡେଟରଙ୍କୁ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉକି ୫୦ଦଶକରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁବାବୁଙ୍କ ଦ୍ୱାରା କଟକ ଉପକଣ୍ଠ ଚୌଦ୍ୱାରଠାରେ ଓଟିଏମ ପ୍ରତିଷ୍ଠା ହୋଇଥିଲା। ପରିଚାଳନାଗତ ତ୍ରୁଟି ଓ ଆର୍ଥିକ ସଂକଟରୁ ୧୯୮୧ରେ ଏହି କାରଖାନାକୁ ରୁଗ୍‌ଣ ଘୋଷଣା କରାଯାଇଥିଲା। ପରେ ଏହାକୁ ସରକାର ହାତକୁ ନେଇଥିଲେ। ଗୁରୁତର ଆର୍ଥିକ କ୍ଷତି ପାଇଁ ୨୦୦୧ରୁ ଏହି କାରଖାନାରେ ସମ୍ପୂର୍ଣ୍ଣ ତାଲା ଝୁଲିଥିଲା। ସେବେଠୁ ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୬ସପ୍ତାହ ପରେ ହେବ ବୋଲି ଧାର୍ଯ୍ୟ ହୋଇଛି।

Leave A Reply

Your email address will not be published.