ଚିନ୍ତା ବଢ଼ାଇଲାଣି ଡ୍ରପଆଉଟ ସମସ୍ୟା: ନବମ ପରୀକ୍ଷାକୁ ମଧ୍ୟ ଆସିଲେନି ୧୫ ହଜାର ଛାତ୍ରଛାତ୍ରୀ

ଡିଇଓମାନଙ୍କୁ ରିପୋର୍ଟ ମଗା ଯାଇଛି: ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ନବମ ଶ୍ରେଣୀ ପିଲାଙ୍କର ପରୀକ୍ଷାରେ ଉପସ୍ଥାନ ହାର ଗଣଶିକ୍ଷା ବିଭାଗର ମୁଣ୍ଡ ବ୍ୟଥା ବଢ଼଼ାଇଇଛି। ନବମ ଶ୍ରେଣୀରେ ମଧ୍ୟ ପାଖାପାଖି ୧୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନଥିବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ବିଏସଇ) ବୋର୍ଡ଼ ଦର୍ଶାଇଛି। ମାତ୍ର ବୋର୍ଡ଼ ଦର୍ଶାଇଥିବା ତଥ୍ୟ ଅନୁଯାୟୀ ନବମ ଶ୍ରେଣୀରେ ଏଚଏସସିର ୧୪,୯୩୫ ଓ ମଧ୍ୟମାର ୧୨୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନାହାନ୍ତି।

ଶିକ୍ଷାବିତ୍‍ ଡ. ସୁବାସ ପାତ୍ରଙ୍କ କହିବା ଅନୁଯାୟୀ, ବିଗତ ଦୁଇ ବର୍ଷ ହେବ କରୋନା ପାଇଁ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରୁ ଦୂରରେ ରହିଲେ। ଯଦିଓ ଅନଲାଇନ୍‍ ବ୍ୟବସ୍ଥା ଉପଲବ୍ଧ କରାଗଲା ଏହା ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପାରିଲାନି। ଶିକ୍ଷକମାନେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇ ପାରିଲେନି। ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଓ ଉପାନ୍ତ ଅଞ୍ଚଳରେ ହିଁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଡ୍ରପ ଆଉଟ୍‍ ହୋଇଥିବା ସେ କହିଛନ୍ତି। ତେବେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପୁନଶ୍ଚ ଶିକ୍ଷାନୁଷ୍ଠାନକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ଗଣଶିକ୍ଷା ବିଭାଗର ଅଧିକାରୀ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଅନୁପସ୍ଥିତ ପିଲାଙ୍କୁ ଚିହ୍ନଟ କରାଯାଇ ପଞ୍ଜିକରଣ କରି ମଧ୍ୟ ସେମାନେ କାହିଁକି ଅନୁପସ୍ଥିତ ରହିଲେ ତାହାର ରିପୋର୍ଟ ପ୍ରଧାନ ଶିକ୍ଷକମାନେ ଡିଇଓମାନଙ୍କୁ ଦେବେ। ଏହାପରେ ଡିଇଓମାନେ ଆସନ୍ତା ମେ ୩୧ ତାରିଖ ପୂର୍ବରୁ ଏହି ରିପୋର୍ଟକୁ ବୋର୍ଡ ନିକଟରେ ଦାଖଲ କରିବେ। ତେବେ ବିଗତ ଦୁଇ ବର୍ଷ ହେବ କେତେ ସଂଖ୍ୟକ ଛାତ୍ରଛାତ୍ରୀ ଶିକ୍ଷାଠାରୁ ଦୂରେଇ ଯାଇଛନ୍ତି ତାହାର ପ୍ରକୃତ ତଥ୍ୟ ବିଭାଗ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ଅଭିଭାବକ ସଂଘ ଦାବି କରିଛି।

Leave a comment