ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖଣ୍ଡଗିରି-ଉଦୟଗିରି ପାଇଁ ଖର୍ଚ୍ଚ ହେବ ୧୫ କୋଟି

ଭୁବନେଶ୍ୱର : ନୂଆରୂପ ନେବ ଖଣ୍ଡଗିରି-ଉଦୟଗିରି ଚାରିପାଖ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ନୂଆ ରଣନୀତି ପ୍ରସ୍ତୁତ କରୁଛି। ଯେଉଁଥିରେ ଖଣ୍ଡଗିରି ଉଦୟଗିରିକୁ ଏକ ଐତିହ୍ୟ ସର୍କିଟ୍‍ ଭାବେ ଗ୍ରହଣ କରାଯାଇ ସମସ୍ତ ବିକାଶମୂଳକ କାମ କରାଯିବ। ଏଥିପାଇଁ ୧୫ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି। ପ୍ରତିବର୍ଷ ଖଣ୍ଡଗିରି ଉଦୟଗିରିକୁ ବାର୍ଷିକ ପାଖାପାଖି ୩ ଲକ୍ଷ ୨୬ ହଜାର ୭୬୬ ପର୍ଯ୍ୟଟକ ଆସୁଥିବା ବେଳେ ଏହାର ପାରିପାର୍ଶ୍ବିକ ବିକାଶ କରିବାକୁ ବିଭାଗ ଚିନ୍ତା କରିଛି। ଯଦିଓ ବର୍ତ୍ତମାନ ସମୟରେ ଖଣ୍ଡଗିରି ଉଦୟଗିରି ପାଦଦେଶରେ ଏକ ଅସ୍ଥାୟୀ ବସ୍‍ ଟର୍ମିନାଲ୍‍ କରାଯାଇଛି ତଥାପି ଉଭୟ ପାହାଡ଼ ମଝିରେ ବେଆଇନ ପାର୍କିଂ ବ୍ୟବସ୍ଥାକୁ ବନ୍ଦ କରାଯାଇ ପାରିନି। ତେଣୁ ନୂଆକରି କରାଯାଉଥିବା ମାଷ୍ଟର ପ୍ଲାନ୍‍ରେ ଏସବୁକୁ ଗୁରୁତ୍ୱ ଦିଆଯାଇଛି।

ଉଭୟ ପାହାଡ଼ ମଝିରେ କିପରି ମୋଟରଚାଳିତ ଗାଡ଼ି ଚଳାଚଳକୁ ବନ୍ଦ କରାଯାଇ ପାଦଚଳା ରାସ୍ତାକୁ ଅଧିକ ସୁନ୍ଦର କରାଯିବ ଓ ଏଥିପାଇଁ ନୂଆ ଢ଼ଙ୍ଗରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବ ସେ ଉପରେ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ଖଣ୍ଡିଗରି-ଉଦୟଗିରିରେ ଥିବା ଭିତ୍ତିଭୂମିକୁ ବ୍ୟବହାର କରି କିପରି ସମସ୍ତ ଆନୁସଙ୍ଗିକ ସୁବିଧା ପର୍ଯ୍ୟଟକଙ୍କୁ ମିଳିପାରିବ ସେ ଉପରେ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପର୍ଯ୍ୟଟନ ସାଇନେଜ୍‍ ଲଗାଯାଇ ଓ ପର୍ଯ୍ୟଟନ ମାନଚିତ୍ର ଲଗାଯାଇ ପର୍ଯ୍ୟଟକଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯିବାର ବନ୍ଦୋବସ୍ତ କରାଯାଉଛି। ଏହାଛଡ଼ା ଅସ୍ଥାୟୀ ଦୋକାନ କରି ପୂର୍ବରୁ ରହି ଆସିଥିବା ଦୋକାନୀଙ୍କ ପାଇଁ ବାହାରେ ସ୍ଥାୟୀ ଦୋକାନ ଘରର ବନ୍ଦୋବସ୍ତ କରାଯିବ। ଏହାଛଡ଼ା ଖଣ୍ଡିଗରି ଉଦୟଗିରି ଚାରିପାଖ ରାସ୍ତାକୁ ଲ୍ୟାଣ୍ଡସ୍କେପିଂ କରାଯାଇ ବିକାଶ କରାଯିବା ସହ ପର୍ଯ୍ୟଟକଙ୍କ ପାଇଁ ବସିବାର ବନ୍ଦୋବସ୍ତ କରାଯିବ।

ଗୋଟିଏ ପଟେ ଖଣ୍ଡଗିରି-ଉଦୟଗିରିକୁ ଐତିହ୍ୟ କରିଡର୍‍ କରିବା ପାଇଁ ପର୍ଯ୍ୟଟନ ବିଭାଗ ଯୋଜନା କରୁଥିବା ବେଳେ ଏ ସମ୍ପର୍କରେ ଏଏସ୍‍ଆଇକୁ ଏକ ଡ୍ରାଫ୍ଟ ପ୍ରଦାନ କରିଛି। ହେଲେ ପ୍ରତ୍ନତାତ୍ତ୍ୱିକ ସଂରକ୍ଷିତ ସ୍ଥାନରେ କୌଣସି ବିକାଶମୂଳକ କାମ ଓ ନୂଆ ନିର୍ମାଣକୁ ଅନୁମତି ଦିଆଯିବା ସମ୍ଭବ ନ ଥିବାରୁ ଏଏସ୍‍ଆଇ ଭୁବନେଶ୍ୱର ସର୍କଲ୍‍ ପକ୍ଷରୁ ଏହାକୁ ସବୁଜ ସଙ୍କେତ ଦିଆଯାଇ ନ ଥିବା ଭୁବନେଶ୍ୱର ସର୍କଲମୁକ୍ତ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ସାଧାରଣତଃ କୁମାର ଓ କୁମାରୀ ପର୍ବତ ଭାବେ ଜଣାଶୁଣା ଖଣ୍ଡିଗିରି ଉଦୟଗିରିରେ ପୂର୍ବ ଭାରତର ସବୁଠାରୁ ପୁରାତନ ଜୈନ୍ୟ କିର୍ତ୍ତିରାଜିର ନିଦର୍ଶନ ଦେଖିବାକୁ ମିଳେ। ଇତିହାସଠାରୁ ଆରମ୍ଭ କରି, ଶିଳାଲେଖ, କାରିଗରୀ, କଳା ଓ ସାମ୍ପ୍ରଦାୟିକତାରେ ଏହା ସବୁଠାରୁ ପୁରାତନ। ଉଦୟଗିରିରେ ସମୁଦାୟ ୧୮ଟି ଗୁମ୍ଫା ଥିବା ବେଳେ ଖଣ୍ଡଗିରିରେ ୧୫ଟି ଗୁମ୍ଫା ରହିଛି। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ବେଳକୁ ସମ୍ରାଟ ଖାରବେଳ ପ୍ରଥମ କରି ଏହି ଗୁମ୍ଫାର ଖନନ କରିଥିଲେ। ସମସ୍ତ ଗୁମ୍ଫା ଭିତରେ ଉଦୟଗିରିର ରାଣୀଗୁମ୍ଫା ସବୁଠାରୁ ଅଧିକ ଆକର୍ଷଣୀୟ। ରାଣୀଗୁମ୍ଫା ଭଳି ଦୁଇଥାକିଆ ଡିଜାଇନ୍‍ରେ ଏଠାକାର ସ୍ୱର୍ଗପୁରୀ-ମଞ୍ଚପୁରୀ ଓ ଜୟବିଜୟ ଗୁମ୍ଫା ରହିଛି। ଉଦୟଗିରିର ହାତୀଗୁମ୍ଫାର ଛାତ ଉପରେ ଖାରବେଳଙ୍କ ସମୟର ଶିଲାଲେଖ ବି ଦେଖିବାକୁ ମିଳେ।

Leave A Reply

Your email address will not be published.