ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିଶୁ ଦିବସ: ଆଜିର ଶିଶୁ, ଆସନ୍ତାକାଲିର ଭବିଷ୍ୟତ

ଆଜିର ଶିଶୁ, ଆସନ୍ତାକାଲିର ନାଗରିକ। ଦେଶ ନିର୍ମାଣରେ ଶିଶୁମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ପଣ୍ଡିତ ଜବାହରଲାଲ ନେହେରୁ। କୁନି କୁନି ପିଲାଙ୍କୁ ସେ ଅଜସ୍ର ସ୍ନେହ କରୁଥିଲେ । ସେଥିପାଇଁ ପିଲାମାନେ ତାଙ୍କୁ ସ୍ନେହରେ ‘ଚାଚା ନେହେରୁ’ ବୋଲି ଡାକୁଥିଲେ।। ତାଙ୍କ ମତରେ ‘ଶିକ୍ଷା ହିଁ ପ୍ରଗତିର ମୂଳପିଣ୍ଡ’ । ତେଣୁ ଭବିଷ୍ୟତର ନାଗରିକମାନଙ୍କ ଶିକ୍ଷା ଉପରେ ସେ ବିଶେଷ ଧ୍ୟାନ ଦେଇଥିଲେ । ସେହି ମହାନ ରାଷ୍ଟ୍ରନେତାଙ୍କର ଜନ୍ମଦିନକୁ ସାରାଦେଶ ଶିଶୁ ଦିବସ ଭାବେ ପାଳନ କରୁଛି। ଦେଶର କୋଣ ଅନୁକୋଣରେ, ପଲ୍ଲୀଠୁ ଦିଲ୍ଲୀ ସବୁଠି ଶିଶୁ ଦିବସକୁ ବେଶ୍‌ ଆନନ୍ଦ ଉତ୍ସାହର ସହ ପାଳନ କରାଯାଏ। ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳିଥାଏ ଏହି ଦିବସ । ଶିଶୁ ଦିବସ ଅବସରରେ ସ୍କୁଲଗୁଡ଼ିକରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା ଏବଂ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ଏହି ଦିନ ସ୍କୁଲ୍‌ଗୁଡ଼ିକରେ ପିଲାମାନଙ୍କୁ ଚକଲେଟ୍, ମିଠା ଆଦି ବଣ୍ଟା ଯାଇଥାଏ।

ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆହ୍ଲାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମୋତିଲାଲ ନେହରୁ ଓ ମାତାଙ୍କ ନାମ ସ୍ୱରୂପାରାଣୀ ଥିଲା। ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୬୪ ମସିହା ମଇ ମାସ ୨୭ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ନେହେରୁଙ୍କ ଦେହାନ୍ତ ପରେ ପିଲାଙ୍କ ପ୍ରତି ତାଙ୍କ ଭଲ ପାଇବାକୁ ସମ୍ମାନ ଜଣାଇ ତାଙ୍କ ଜନ୍ମଦିବସକୁ ଶିଶୁ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏ ସମ୍ପର୍କରେ ସଂସଦରେ ପ୍ରସ୍ତାବ ପାରିତ କରାଯାଇଥିଲା। ଏହାପରେ ପ୍ରଥମ ଥର ପାଇଁ ୧୯୬୫ରେ ଶିଶୁ ଦିବସ ପାଳନ କରାଯାଇଥିଲା। ୧୯୬୪ ପୂର୍ବରୁ ୨୦ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳନ କରାଯାଉଥିଲା। କାରଣ ମିଳିତ ଜାତିସଂଘ ଦ୍ବାରା ୧୯୫୪ ମସିହାରେ ୨୦ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.