ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସେପ୍ଟେମ୍ବର ମାସରେ ୧.୪୭ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ, ଓଡ଼ିଶାରେ ୧୩ ପ୍ରତିଶତ ବଢ଼ିଲା ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ : ସେପ୍ଟେମ୍ବର ୨୦୨୨ ମାସରେ ଜିଏସଟି ସଂଗ୍ରହ ୧,୪୭,୬୮୬ କୋଟି ଟଙ୍କା ଟପିଛି । ଏଥିମଧ୍ୟରୁ ସିଜିଏସଟି ୨୫,୨୭୧ ଏବଂ ଏସଜିଏସଟି ୩୧,୮୧୩ କୋଟି ଟଙ୍କା ରହିଛି । ସେହିପରି ଆଇଜିଏସଟି ୮୦,୪୬୪ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୪୧,୨୧୫ କୋଟି ଟଙ୍କା ସମେତ) ଏବଂ ସେସ ୧୦,୧୩୭ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୮୫୬ କୋଟି ଟଙ୍କା ସମେତ) ରହିଛି ।

ସରକାର ସିଜିଏସଟି ବାବଦରେ ୩୧,୮୮୦ କୋଟି ଟଙ୍କା ପରିଶୋଧ କରିବା ସହିତ ଆଇଜିଏସଟିରୁ ନିୟମିତ ପରିଶୋଧ ବାବଦରେ ୨୭ ହଜାର ୪୦୩ କୋଟି ଟଙ୍କା ପରିଶୋଧ କରିଛନ୍ତି । ନିୟମିତ ପରିଶୋଧ ପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ୍‌ ରାଜସ୍ବ ପରିମାଣ ସେପ୍ଟେମ୍ବର ୨୦୨୨ରେ ସିଜିଏସଟି ବାବଦରେ ୫୭ ହଜାର ୧୫୧ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୫୯ ହଜାର ୨୧୬ କୋଟି ଟଙ୍କା ରହିଛି ।

ଓଡ଼ିଶାରେ ସେପ୍ଟେମ୍ବର ୨୦୨୨ ମାସରେ ୩ ହଜାର ୭୬୫ କୋଟି ଟଙ୍କାର ଜିଏସଟି ରାଜସ୍ବ ଆଦାୟ ହୋଇଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ୩ ହଜାର ୩୨୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟରେ ଜିଏସଟି ସଂଗ୍ରହ ୧୩ ପ୍ରତିଶତ ବୃଦ୍ଧି ପାଇଛି ।

ଗତ ବର୍ଷ ସମାନ ମାସ ତୁଳନାରେ ସେପ୍ଟେମ୍ବର ୨୦୨୨ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ୨୬% ବୃଦ୍ଧି ପାଇଛି । ଏହି ମାସ ସମୟରେ ବସ୍ତୁ ଆମଦାନୀରୁ ସଂଗୃହିତ ରାଜସ୍ବ ପରିମାଣ ୩୯% ଅଧିକ ଥିବା ବେଳେ ଘରୋଇ କାରବାର (ସେବା ଆମଦାନୀ ସମେତ) ରୁ ସଂଗୃହିତ ରାଜସ୍ବ ପରିମାଣ ଗତ ବର୍ଷ ସମାନ ମାସ ତୁଳନାରେ ୨୨% ଅଧିକ ରହିଛି ।

କ୍ରମାଗତ ୭ ମାସ ଧରି ମାସିକ ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ସେପ୍ଟେମ୍ବର ୨୦୨୨ ପର୍ୟ୍ୟନ୍ତ ଜିଏସଟି ରାଜସ୍ବ ସଂଗ୍ରହ ଗତ ବର୍ଷର ଏହି ଅବଧି ତୁଳନାରେ ୨୭% ଅଧିକ ରହିଛି । ଏହା ଉଚ୍ଚ ରାଜସ୍ବ ବୃଦ୍ଧିକୁ ଦର୍ଶାଉଛି । ଅଗଷ୍ଟ ୨୦୨୨ରେ ୭.୭ କୋଟି ଇ-ୱେ ବିଲ ସୃଷ୍ଟି କରାଯାଇଥିଲା । ଏହା ଜୁଲାଇ ୨୦୨୨ରେ ଜାରି ହୋଇଥିବା ୭.୫ କୋଟି ଇ-ୱେ ବିଲ ତୁଳନାରେ ଅଧିକ ।

ଚଳିତ ମାସରେ ଗୋଟିଏ ଦିନରେ ଦ୍ବିତୀୟ ସର୍ବାଧିକ ଜିଏସଟି ରାଜସ୍ବ ସଂଗ୍ରହ କରାଯାଇଥିଲା। ସେପ୍ଟେମ୍ବର ୨୦ ତାରିଖରେ ୪୯ ହଜାର ୪୫୩ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା ଏବଂ ଦ୍ବିତୀୟ ସର୍ବାଧିକ ୮.୭୭ ଲକ୍ଷ ଚାଲାଣ ଦାଖଲ କରାଯାଇଥିଲା । ଏଥିପୂର୍ବରୁ ୨୦ ଜୁଲାଇ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ୯.୫୮ ଲକ୍ଷ ଚାଲାଣ ଦାଖଲ କରାଯିବା ସହିତ ୫୭ ହଜାର ୮୪୬ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା । ଏହି ତଥ୍ୟ ଦର୍ଶାଉଛି ଯେ ଜିଏସଟିଏନ ଦ୍ବାରା ପରିଚାଳିତ ଜିଏସଟି ପୋର୍ଟାଲ ସମ୍ପୂର୍ଣ୍ଣ ଭାବେ ସ୍ଥିର ଏବଂ ଏବଂ ବାଧାମୁକ୍ତ ପ୍ରଦର୍ଶନ କରୁଛି । ସେପ୍ଟେମ୍ବର ମାସରେ ଆଉ ଏକ ଉପଲବ୍ଧି ହାସଲ କରାଯାଇଛି । ୩୦ ସେପ୍ଟେମ୍ବର ୨୦୨୨ ଦିନ ଜିଏସଟି ପୋର୍ଟାଲରେ ୧.୧ କୋଟି ଇ-ୱେ ବିଲ ଏବଂ ଇନଭଏସ (୭୨.୯୪ ଇ-ଇନଭଏସ ଏବଂ ୩୭.୭୪ ଲକ୍ଷ ଇ-ୱେ ବିଲ) ଜାରି ହୋଇଛି ।

Leave A Reply

Your email address will not be published.