ପରଜମିକୁ ୧୪ ଲକ୍ଷରେ ବିକିଦେଲେ ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କର୍ମଚାରୀ

ଭୁବନେଶ୍ବର : ଅନ୍ୟର ଜମିର ଜାଲ ଦସ୍ତାବିଜ୍ କରି ୧୪ ଲକ୍ଷ ଟଙ୍କାରେ ବିକ୍ରି କରିଦେଲେ କିଛି ବ୍ୟକ୍ତି। ଠକେଇର ଶିକାର ହୋଇଥିବା ଲକ୍ଷ୍ମୀସାଗର ଉପରସାହିର ଶାନ୍ତିଲତା ସାହୁ ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ନବଘନ ନାୟକ, ଅବିନାଶ ଜେନା, ଅନନ୍ତ ପ୍ରଧାନ ଓ ସବ୍‌ରେଜିଷ୍ଟ୍ରାର ଅଫିସର , ପିଅନଙ୍କ ନାମରେ ମାମଲା ରୁଜୁ କରିଛି। ଶାନ୍ତିଲତା ୨୦୨୦ ମସିହାରେ ଏକ ଜମି ୧୪ଲକ୍ଷ ଟଙ୍କା ଦେଇ ଜମି କିଣିଥିଲେ । ହେଲେ ଗତ ୧୯ ତାରିଖରେ ଉକ୍ତ ଜମିରେ ପାଚେରି ନିର୍ମାଣ କରିବା ପାଇଁ ସେ ଯୋଜନା କରିଥିଲେ ।

ତେଣୁ ତାଙ୍କ ପୁଅକୁ ଭୁଲେଖ ୱେବ୍‌ସାଇଟ୍‌ରେ ଜମିର ସ୍ଥିତି ଦେଖିବାକୁ କହିଥିଲେ। ତାଙ୍କ ପୁଅ ତାହାକୁ ଦେଖିବା ପରେ ତାହା ଅନ୍ୟନାମରେ ଥିବା ଜଣାପଡ଼ିଥିଲା। ଏନେଇ ସେମାନେ ଜମି କିଣିଥିବା ବ୍ୟକ୍ତିଙ୍କୁ ପଚାରିଥିଲେ ମଧ୍ୟ ସେ ଧରାଛୁଆଁ ଦେଇ ନ ଥିଲେ। ଅନ୍ୟର ଫଟୋ ଏବଂ ଅନ୍ୟାନ୍ୟ ଦସ୍ତାବିଜ ବ୍ୟବହାର କରି ଜମିକୁ ଶାନ୍ତିଲତାକୁ ବିକ୍ରି କରି ଦେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏଥିରେ ଖଣ୍ଡଗିରି ସବ୍‌ରେଜିଷ୍ଟାର ଅଫିସର୍ କେତେକ ପିଅନ୍‌ଙ୍କ ହାତ ଥିବା ପୁଲିସ ଜାଣିବାକୁ ପାଇଛି।

Leave a comment