ଭାରତ ଆସୁଛନ୍ତି ଆଉ ୧୨ ଚିତା, ଦକ୍ଷିିଣ ଆଫ୍ରିକାକୁ ଉଡାଣ ଭରିଲା ବାୟୁସେନା ବିମାନ

ଭୋପାଳ: ପୁଣି ଭାରତ ପାଇଁ ଖୁସି ଖବର। ଦେଶରେ ବଢିବ ଚିତାଙ୍କ ସଂଖ୍ୟା । ଦ୍ବିତୀୟ ପର୍ଯ୍ଯାୟରେ ଆସନ୍ତା ଫେବୃଆରୀ ୧୮ରେ ଭାରତ ଆସିବେ ୧୨ ଚିତା । ସେମାନଙ୍କ ମଧ୍ୟରୁ ୭ଟି ପୁରୁଷ ଓ ୫ଟି ମହିଳା ଚିତା ରହିଛନ୍ତି । ଦକ୍ଷିଣ ଆଫ୍ରିକାରୁ ଆସୁଥିବା ନୂଆ ଅତିଥିଙ୍କୁ ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ରଖାଯିବ। ୧୨ ଚିତାଙ୍କୁ ଆଣିବା ପାଇଁ ଆଜି ସକାଳୁ ହିଣ୍ଡନ ଏୟାରବେସ୍‌ରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଭାରତୀୟ ବାୟୁସେନାର ସି -୧୭ ଗ୍ଲୋବମାଷ୍ଟର ଉଡାଣ ଆରମ୍ଭ କରିଛି ।

ଆସନ୍ତା ଫେବୃଆରୀ ୧୮ରେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ କୁନୋ ଜାତୀୟ ଉଦ୍ୟାନରେ ଚିତାକୁ ଛାଡିବେ । ଶନିବାର ସକାଳେ ମଧ୍ୟପ୍ରଦେଶର ଗ୍ବାଲିଅର ବିମାନ ବନ୍ଦରରେ ପ୍ରଥମେ ଚିତା ପହଞ୍ଚିବେ । ଏହାର ୩୦ ମିନିଟ ପରେ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଚିତାଙ୍କୁ ୧୬୫ କିଲୋମିଟର ଦୂର ଶ୍ୟୋପୁର ଜିଲ୍ଲାର କୁନୋରେ ଛଡାଯିବ । ଚିତାଙ୍କ ସ୍ଥାନାନ୍ତରଣ ପାଇଁ ଗତ ମାସରେ ଭାରତ ଓ ଦକ୍ଷିଣ ଆପ୍ରିକା ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଥିଲା । ପ୍ରତିଟି ଚିତାକୁ ସ୍ଥାନାନ୍ତରଣ କରିବା ପାଇଁ ଭାରତକୁ ୩୦୦୦ ଆମେରିକୀୟ ଡଲାର ଖର୍ଚ୍ଚ କରିବାକୁ ପଡିବ ।

ଭାରତରେ ଚିତାଙ୍କ ବଂଶବୃଦ୍ଧି ଯୋଜନାରେ ଗତବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମ୍ବିଆରୁ ୮ଟି ଚିତା କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଏହି ସମୟରେ ଦକ୍ଷିଣ ଆଫ୍ରିକା ସରକାରଙ୍କ ଅନୁମୋଦନ ଅଭାବରୁ ୧୨ଟି ଚିତାକୁ କୁନୋ ଅଣାଯାଇ ପାରି ନଥିଲା । କୁନୋ ପରିବେଶ ଚିତାଙ୍କ ପାଇଁ ବେଶ ସହାୟକ ହୋଇଥିବା କହିଛନ୍ତି ବନ୍ୟଜୀବ ମହାନିର୍ଦ୍ଦେଶକ ଏସପି ଯାଦବ। ସାସା ନାମକ ଏକ ଚିତାକୁ ଛାଡି ସମସ୍ତ ଚିତା ସୁସ୍ଥ ଥିବା ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି ।

Leave a comment