ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀ ଅଞ୍ଜଳୀ ମୃତ୍ୟୁ ମାମଲା: କାର୍ଯ୍ୟରେ ଅବହେଳା ପାଇଁ ୧୧ ପୁଲିସ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ: ନୂଆବର୍ଷ ରାତିରେ ରାଜଧାନୀ ଦିଲ୍ଲୀରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଘଟିଥିବା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଯେଉଁ ରୁଟରେ ଏହି ଘଟଣା ଘଟିଥିଲା ସେହି ସ୍ଥାନରେ ମୁତୟନ ପୋଲିସ କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ ଦୁଇ ସବ୍-ଇନ୍ସପେକ୍ଟର, ୪ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର, ୪ ହେଡ୍ କନଷ୍ଟେବଳ, ୧ କନଷ୍ଟେବଳ ଅଛନ୍ତି । ନିଲମ୍ବିତ ପୋଲିସଙ୍କ ମଧ୍ୟରୁ ୬ ଜଣ ପିସିଆର୍ ଡ୍ୟୁଟିରେ ଏବଂ ୫ ଜଣ ପୋଲିସ ପିକେଟିଂରେ ମୁତୟନ ହୋଇଥିଲେ।

ଏହାପୂର୍ବରୁ ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀ ଶାଳିନୀ ସିଂହଙ୍କ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରାଳୟ ପୁଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲା। ତେବେ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ମହଜୁଦ ସାକ୍ଷୀଙ୍କ ବୟାନ ଆଧାରରେ ପୁଲିସ କାଞ୍ଝଓ୍ବାଲା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ୩୦୨ ଧାରା ଅର୍ଥାତ ହତ୍ୟା ମାମଲା ରୁଜୁ କରିଛି। ଏଥିସହ ପୁଲିସ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି।

ସୂଚନାଯୋଗ୍ୟ, ଦିଲ୍ଲୀର କାଞ୍ଝାୱାଲାରେ କାରରେ ବସିଥିବା କିଛି ଯୁବକ ଏକ ସ୍କୁଟିକୁ ଧକ୍କା ଦେଇଥିଲେ । ଧକ୍କା ପରେ କାର୍‌ ତଳେ ଫସିଥିବା ଅଞ୍ଜଳୀଙ୍କୁ ଅଭିଯୁକ୍ତମାନେ ୧୨ କିଲୋମିଟର ପର୍ଯ୍ୟନ୍ତ କାର୍‌ରେ ଘୋଷାଡ଼ି ନେଇଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିଛି।

Leave A Reply

Your email address will not be published.