ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ

ଜଣେ ରାଜନେତାଙ୍କର ବ୍ୟକ୍ତିତ୍ୱ ତାଙ୍କ ପରିବାରର ପୃଷ୍ଠଭୂମି, ସାମାଜିକ ପ୍ରତିଷ୍ଠା, ଶିକ୍ଷାଗତ ଯୋଗ୍ୟତା ଏବଂ ଆର୍ôଥକ ସ୍ଥିତି ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ପଟ୍ଟନାୟକ ସେଭଳି ଜଣେ ଆକର୍ଷଣୀୟ ବ୍ୟକ୍ତିତ୍ୱ, ଯାହାଙ୍କର ପ୍ରଭାବ ଓଡ଼ିଶା ରାଜନୀତିକୁ ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ପ୍ରଭାବିତ କରିଥିଲା।

ବିଜୁବାବୁ ଯୁବକ ଅବସ୍ଥାରେ ସକ୍ରିୟ ରାଜନୀତିରେ ଯୋଗଦେଇଥିଲେ। ସ୍ୱାଧୀନତା ଆନ୍ଦୋଳନ ସମୟରେ ଭାରତୀୟ ଜାତୀୟ କଂଗ୍ରେସର ଅନେକ ନେତାଙ୍କ ସଂସ୍ପର୍ଶରେ ସେ ଆସିଥିଲେ। ୧୯୪୬ ମସିହାରେ ଓଡ଼ିଶା ବ୍ୟବସ୍ଥାପକ ସଭା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେଲା। ବିଜୁବାବୁ ପ୍ରଥମ କରି ଏହି ନିର୍ବାଚନରେ କଟକ ସହର (ଚୌଦ୍ୱାର) ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ଦେଶର ପ୍ରଥମ ସାଧାରଣ ନିର୍ବାଚନ ୧୯୫୧-୫୨ ମସିହାରେ ସାବାଳକ ଭୋଟଦାନ ଅଧିକାର ଭିତ୍ତିରେ ଅନୁଷ୍ଠିତ ହୋଇଥିଲା। ବିଜୟାନନ୍ଦ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ଟିକେଟ୍‍ରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ପରିବାର ମୂଳତଃ ଗଂଜାମ ଜିଲ୍ଲାର ନୂଆଗାଁ ବାସିନ୍ଦା ଥିଲେ।

ଏହାପରେ ୧୯୫୩ ମସିହାରେ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ଗଂଜାମ ଜିଲ୍ଲାର ସୋରଡ଼ା ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥÒଲେ। ୧୯୬୧ ନିର୍ବାଚନରେ ବିଜୁ ବାବୁଙ୍କ ଗତିଶୀଳ ନେତୃତ୍ୱରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ୧୪୦ ସଭ୍ୟ ବିଶିଷ୍ଟ ବିଧାନସଭାରେ ୮୨ ଆସନ ପାଇ ଓଡ଼ିଶା ରାଜନୀତିରେ ଏକ ଇତିହାସ ସୃଷ୍ଟିକଲା। ବିଜୁବାବୁ କଟକ ଜିଲ୍ଲା ଚୌଦ୍ୱାର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟ ହାସଲ କରିଥିଲେ ଏବଂ ୧୯୬୧ ମସିହା ଜୁନ୍‍ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ବିଜୁବାବୁ ୧୯୬୨-୬୩ ମସିହାରେ ପଞ୍ଚାୟତ ଶିଳ୍ପପ୍ରତିଷ୍ଠା ନିମନ୍ତେ ଏକ ଯୋଜନା ଆରମ୍ଭ କରିଥିଲେ। ରାଜ୍ୟସ୍ତରରେ ଯୋଜନାଗୁଡ଼ିକର ପରିକଳ୍ପନା ଓ ରୂପାୟନ ନିମନ୍ତେ ରାଜ୍ୟ ଯୋଜନା ବୋର୍ଡ ଗଠନ କରିଥିଲେ। ଯାହା ଅନ୍ୟାନ୍ୟ ରାଜ୍ୟମାନଙ୍କୁ ମାର୍ଗଦର୍ଶନ କରିଥିଲା। ୧୯୬୩ ନିର୍ବାଚନରେ ବିଜୁ ବାବୁ ପାଟକୁରା ନିର୍ବାଚନ ମଣ୍ଡଳିରେ ପରାଜୟ ବରଣ କରିଥିଲେ।

୧୯୬୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ସର୍ବଭାରତୀୟ ସ୍ତରରେ ଦୁଇ ଭାଗରେ ବିଭକ୍ତ ହୋଇଥିଲା। କଂଗ୍ରେସ ହାଇକମାଣ୍ଡ ସହ ତାଙ୍କର ମତାନ୍ତର ଯୋଗୁଁ ୧୯୭୦ ମସିହା ମେ’ ମାସ ୧୩ ତାରିଖରେ ସେ ଏକ ପ୍ରାଦେଶିକ ଦଳ ଗଠନ କଲେ ଏବଂ ଏହା ‘ଉତ୍କଳ କଂଗ୍ରେସ’ ନାମରେ ନାମିତ ହେଲା। ବିଜୁ ବାବୁଙ୍କ ଦୃଢ଼ ମତ ଥିଲା ଯେ ପ୍ରାଦେଶିକ ଦଳମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଏବଂ ସେଗୁଡ଼ିକ ନିଜ ନିଜ ରାଜ୍ୟବାସୀଙ୍କ ଆଶା ଓ ଆକାଂକ୍ଷାଗୁଡ଼ିକୁ ସଠିକ ଭାବରେ ପ୍ରତିଫଳନ କରିପାରିବେ। ଅନେକ ନେତା ସାରା ଭାରତରେ ଭାରତୀୟ ଜାତୀୟ କଂଗ୍ରେସରୁ ସଂପର୍କ ଚ୍ଛିନ୍ନ କରି ପୁଣି ଦଳକୁ ଘର ବାହୁଡ଼ା କରିଛନ୍ତି। ବିଜୁବାବୁ କିନ୍ତୁ ଆଉ ଜୀବଦ୍ଦଶାରେ କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ କରିନାହାନ୍ତି। ସେ ସବୁବେଳେ ତାଙ୍କର ବ୍ୟକ୍ତିତ୍ୱକୁ ପ୍ରଦର୍ଶନ କରିଛନ୍ତି ଏବଂ ଜାତୀୟ ସ୍ତରରେ ଏକ ଆଗଧାଡ଼ିର ନେତା ଭାବେ ନିଜକୁ ପ୍ରତିପାଦିତ କରିବାରେ ସଫଳ ହୋଇଛନ୍ତି। ୧୯୭୧ ନିର୍ବାଚନରେ ତାଙ୍କ ଦଳ ୩୩ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଥିଲା।

ବିଜୁବାବୁ ଚୌଧୁରୀ ଚରଣ ସିଂହଙ୍କ ସହିତ ହାତ ମିଶାଇ ଅଗଷ୍ଟ ୧୪ ତାରିଖ ୧୯୭୪ ମସିହାରେ ଭାରତୀୟ ଲୋକଦଳ ଗଠନ କଲେ। ଏହାର ଜାତୀୟ ଅଧ୍ୟକ୍ଷ ହେଲେ ଚୌଧୁରୀ ଚରଣ ସିଂହ ଏବଂ ବିଜୁ ପଟ୍ଟନାୟକ ଏହାର ଉପାଧ୍ୟକ୍ଷ ହେଲେ। ୧୯୩୫ ମସିହାରେ ଦେଶରେ ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଘୋଷଣା ହେଲା। ଅନେକ ତୁଙ୍ଗ ନେତାଙ୍କ ସହିତ ବିଜୁବାବୁ ଆଭ୍ୟନ୍ତରୀଣ ନିରାପତ୍ତା ରକ୍ଷା ଆଇନ (ମିସା) ବଳରେ ଗିରଫ ହେଲେ। ୧୯୭୭ରେ ନିର୍ବାଚନରେ ଜନତା ପାର୍ଟି ଏବଂ ଏହାର ସହଯୋଗୀମାନେ ଲୋକସଭାରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ପାଇ ପ୍ରଥମଥର ପାଇଁ କେନ୍ଦ୍ରରେ ଏକ ଅଣକଂଗ୍ରେସ ସରକାର ଗଠନ କରିଥିଲେ। ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ୱରେ ଗଠିତ ଏହି ମନ୍ତ୍ରିମଣ୍ଡଳରେ ବିଜୁ ପଟ୍ଟନାୟକଙ୍କୁ ଇସ୍ପାତ ଓ ଖଣି ବିଭାଗର ଦାୟିତ୍ୱ ତାଙ୍କୁ ମିଳିଥିଲା। ପରେ ଜନତା ପାର୍ଟିର ବିଭାଜନ ଘଟିଲା। ବିଜୁ ବାବୁ ଜନତା (ଧର୍ମନିରପେକ୍ଷ) ଦଳ ସହ ରହିଲେ ଏବଂ ଚୌଧୁରୀ ଚରଣ ସିଂହଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‍ ପାହ୍ୟାର ମନ୍ତ୍ରୀ ରୂପେ ଯୋଗ ଦେଇଥିଲେ। ୧୯୮୦ ଏବଂ ୧୯୮୪ ମସିହାରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୯ ମସିହାରେ ବିଶ୍ୱନାଥ ପ୍ରତାପ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରାଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଫେବୃଆରୀ ୧୯୯୦ ବିଧାନସଭା ନିର୍ବାଚନରେ ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ୧୨୩ଟି ଆସନ ପାଇଁ ରାଜ୍ୟର ନିର୍ବାଚନୀ ଇତିହାସରେ ରେକର୍ଡ ସୃଷ୍ଟି କରିଥିଲେ। ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀତ୍ବ ଅମଳରେ ସେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ। ତନ୍ମଧ୍ୟରେ ଥିଲା ସର୍ବନିମ୍ନ ଦୈନିକ ମଜୁରୀ ୧୧ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି, ଜିଲ୍ଲା ମାନଙ୍କର ପୁନର୍ଗଠନ, ନାରୀ ସଶକ୍ତୀକରଣ ପାଇଁ ବିଭିନ୍ନ ପଦକ୍ଷେପ ଏବଂ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ କରିବା। ଓଡ଼ିଶାର ସମୂହ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ମଧ୍ୟ ସେ ନେଇଥିଲେ।

ଉତ୍କଳ ଜନନୀର ଏହି ସୁଯୋଗ୍ୟ ସନ୍ତାନ ତାଙ୍କର ଜୀବନ କାଳ ମଧ୍ୟରେ ଅନେକ ସଫଳତା ହାସଲ କରିଥିଲେ। ଓଡ଼ିଶାର ଇତିହାସ, ଓଡ଼ିଆ ଭାଷା, ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ଓଡ଼ିଆମାନଙ୍କର ବୀରତ୍ୱକୁ ନେଇ ସେ ଗର୍ବ ଅନୁଭବ କରୁଥିଲେ। ଅନ୍ୟମାନେ ମଧ୍ୟ ଓଡ଼ିଶାର ବିଭବ ଓ ଅବଦାନକୁ ସ୍ମରଣ କରି ଗର୍ବ ଅନୁଭବ କରିବାକୁ ସେ ଆହ୍ୱାନ ଦେଇଥିଲେ। ଓଡ଼ିଶାର ବିପୁଳ ଖଣିଜ, ବନଜ, ଜଳସଂପଦକୁ ସଦୁପଯୋଗ କରି ଆମ ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ତାଙ୍କର ସ୍ୱପ୍ନ ଥିଲା। ବିଜୁବାବୁ ଜଣେ ବହୁମୁଖୀ ସମ୍ପନ୍ନ ବ୍ୟକ୍ତିତ୍ୱ। ସେ ଜଣେ ଜାତୀୟତାବାଦୀ ନେତା ଏବଂ ଜଣେ ଦେଶପ୍ରେମୀ। ସେ ଥଲେ ସାହସୀ, ସ୍ପଷ୍ଟବାଦୀ, ଉଦାରବାଦୀ, ପରୋପକାରୀ ଓ ଗୁଣଗ୍ରାହୀ। ଜଣେ ସ୍ୱାଭିମାନୀ ବ୍ୟକ୍ତି ଭାବରେ ସେ ଜଣାଶୁଣା ଥିଲେ।

ଓଡ଼ିଆ ଭାଷା, ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ଗଣତନ୍ତ୍ର, ସମାଜବାଦ ଓ ଧର୍ମନିରପେକ୍ଷତା ପାଇଁ ତାଙ୍କରି ଅଙ୍ଗୀକାରବଦ୍ଧତା କସ୍ମିନକାଳେ ମଳିନ ହେବାର ଉଦାହରଣ ନାହିଁ। ତାଙ୍କରି ବ୍ୟକ୍ତିତ୍ୱ ପ୍ରଭାବିତ ହୋଇ ଏବଂ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ଯୁବକ ଓ ଯୁବତୀ ସାଧାରଣ ଜୀବନରେ ଯୋଗଦାନ କରିଛନ୍ତି ଓ ବିଜୁ ବାବୁଙ୍କ ଆଶୀର୍ବାଦରେ ରାଜନୀତିରେ ପ୍ରମୁଖ ସ୍ଥାନ ଅଧିକାର କରିଛନ୍ତି।

ବିଜୁ ବାବୁ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଜୀବନର ପ୍ରତିଟି ମୂଲ୍ୟବାନ ମୁହୂର୍ତ୍ତ ଦେଶମାତୃକା ସେବାରେ ନିୟୋଜିତ କରିଥିଲେ। ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ଆଧୁନିକ ଓଡ଼ିଶାର ନିର୍ମାତା, ସମ୍ବେଦନଶୀଳ ପ୍ରଶାସକ, ଜନପ୍ରିୟ ନେତା, ଦକ୍ଷ ପାର୍ଲ୍ୟାମେଣ୍ଟାରୀଏନ୍‍ ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ଓଡ଼ିଶାକୁ ପରିଚିତ କରାଇଥିବା ବ୍ୟକ୍ତିତ୍ୱ ଭାବରେ ତାଙ୍କୁ ଆଜି ମଧ୍ୟ ସମସ୍ତେ କୃତଜ୍ଞତାର ସହିତ ମନେପକାନ୍ତି। ତାଙ୍କରି ଜୀବନୀ, କାର୍ଯ୍ୟାବଳୀ, ଆଦର୍ଶ, ବ୍ୟକ୍ତିତ୍ୱ ଓ କୃତିତ୍ୱ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେଉ – ଏହି ପ୍ରବାଦ ପୁରୁଷଙ୍କ ଜନ୍ମ ଜୟନ୍ତୀ ଅବସରରେ ଏତିକି କାମନା।

(ବିଷ୍ଣୁ ଚରଣ ଚୌଧୁରୀ)
ବ୍ରହ୍ମପୁର, ମୋ: ୯୪୩୭୫୫୧୦୫୦

Leave A Reply

Your email address will not be published.