ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜମି ଅସଲି ଚାଷୀ ନକଲି: ବର୍ଷ ବର୍ଷ ଧରି ହଜମ କରୁଥିଲେ ଫସଲବୀମା ଟଙ୍କା, ଗିରଫ ହେଲେଣି ୧୦ଜଣ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଏବେ ଚିନ୍ତାରେ ନକଲି ଚାଷୀ । ଅସଲି ଚାଷୀଙ୍କ ଜମି ଦେଖାଇ ଫସଲବୀମା ହାତେଇଥିବା ନକଲି ଚାଷୀ ମାନଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇସାରିଥିବା ବେଳେ କଣ୍ଟାବାଞ୍ଜି ଥାନାରେ ବର୍ତ୍ତମାନ ସୁଦ୍ଧା ଦଶ ଜଣରୁ ଉର୍ଦ୍ଧ୍ବ ଗିରଫ ହୋଇସାରିଥିବା ସୂଚନା ମିଳିଛି । ଏହି ନକଲି ଚାଷୀ ମାନଙ୍କ ତାଲିକା ଆଗକୁ ଆହୁରି ଲମ୍ବିବାର ସମ୍ଭାବନା ରହିଥିବା ବେଳେ ଅନ୍ୟ ଥାନା ଅଞ୍ଚଳ ମାନଙ୍କରେ ମଧ୍ୟ ନକଲି ଚାଷୀ ଓ ଏହି କାରବାରରେ ଲିପ୍ତ ଥିବା ଲୋକଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ବଲାଙ୍ଗିର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏକ ବଡ ଧରଣର ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଛି। ଅସଲି ଚାଷୀଙ୍କ ଜମି ଦେଖାଇ କିଛି ନକଲି ଚାଷୀ ହୋଇ ଫସଲ ବୀମା ଟଙ୍କା ହଜମ କରିଥିବା ବେଳେ ସେମାନଙ୍କ ପାଇଁ ଏବେ ଅଡୁଆ ବଢ଼଼ିବାରେ ଲାଗିଛି । ଏହି କାରବାରରେ ସିଏଚସି ଅପରେଟର ମାନଙ୍କ ସଂପୃକ୍ତି ରହିଥିବା ବେଳେ ଜିଲ୍ଲାର କଣ୍ଟାବାଞ୍ଜି ଥାନାରେ ୧୦ ରୁ ଉର୍ଦ୍ଧ୍ବ ଲୋକ ଗିରଫ ହେବା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ ଗତ ୩ ତାରିଖରେ କଣ୍ଟାବାଞ୍ଜି ଥାନା ଚାଉଲଶୁଖା ଗାଁର ଧନଞ୍ଜୟ ମେହେର ଓ ତାଙ୍କ ପରିବାର ଲୋକଙ୍କ ଖାତା ନଂ ୧୨୫ ର ଜମି ଦେଖାଇ ଉକ୍ତ ଗାଁର ଦେବେନ୍ଦ୍ର ମେହେର, ବିଶିକେସନ ମେହେର ଓ ବେଲପଡ଼ା ଥାନା ଭାଲୁମୁଣ୍ଡା ଗାଁର ଅର୍ଜୁନ ମେହେର ଗତ ଚାରି ପାଞ୍ଚ ବର୍ଷ ହେଲା ଫସଲବୀମା ଟଙ୍କା ଉଠାଇ ହଡପ କରିଚାଲିଥିଲେ । ଜମି କାଗଜପତ୍ରରେ ଚଞ୍ଚକତା କରି ସେମାନେ ଏହି କାରବାର କରିଚାଲିଥିବା ବେଳେ ଏହା ଜାଣିବା ପରେ ଏନେଇ ଧନଞ୍ଜୟ ମେହେରଙ୍କ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ପୁଲିସ ତଦନ୍ତ କରି ଏହି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ଗତ ୭ ତାରିଖରେ ପୁଣି ଏକ ସମାନ ମାମଲା ଥାନାରେ ଆସି ପହଞ୍ଚିଥିଲା । ଉପରୋକ୍ତ ଅଭିଯୋଗ କ୍ରମେ ପୁଲିସ ତିନି ଜଣ ସିଏଚସି ଅପରେଟରଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ କଣ୍ଟାବାଞ୍ଜି ରୋଡ ନଂ ୪ର ସିଏଚସି ମାଳିକ ସଞ୍ଜୟ ପଣ୍ଡା, ମୁରିବାହାଲ ବ୍ଲକ ବଡସାଇମରା ସିଏଚସି ମାଳିକ ନିରଞ୍ଜନ ମେହେର ଓ ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ସିଏଚସି ମାଲିକ ଜିତେନ୍ଦ୍ର ବେହେରାଙ୍କୁ ପୁଲିସ ଗିରଫ କରିଥିଲା ।

ସେହିପରି ଆଉ ଏକ ଘଟଣାକ୍ରମ ଅନୁସାରେ ତୁରେକେଲା ବ୍ଲକ ଡଙ୍ଗାମରା ଗାଁର ଛବିମୟ ପୁଟେଲଙ୍କ ଜମି ଦେଖାଇ ଚାଉଲଶୁଖା ଗାଁର ସିଏଚସି ମାଲିକ ବୈଲୋଚନ ମେହେର, ପହଲ୍ଲାଦ ମେହେର, ଯଦୁମତି ମେହେର ଫସଲବୀମା ଟଙ୍କା ହଡପ କରିଥିଲେ । ଏହି ତିନି ଜଣଙ୍କୁ ପୁଲିସ ଦୁଇ ଦିନ ତଲେ ଗିରଫ କରି କୋର୍ଟଚାଲାଣ କରିଥିଲା । ନକଳି ଚାଷୀ ସାଜି ଅସଲି ଚାଷୀ ମାନଙ୍କ ଜମିର ଫସଲବୀମା ଟଙ୍କା ହଡକ କରିବା ଘଟଣାରେ ବୁଧବାର ପୁଲିସ ଜଣେ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଗିରଫ କରିଛି । ଗିରଫ ସରକାରୀ କର୍ମଚାରୀ ଜଣକ ହେଲେ ବଲାଙ୍ଗିର କୋର୍ଟରେ କାର୍ଯ୍ୟରତ ଥିବା କନିଷ୍ଠ କିରାଣୀ ପିତବାସ ମିଶ୍ର ବୋଲି ଜଣାପଡ଼ିଛି । ତୁରେକେଲା ଥାନା ମନ୍ଦଲା ଗାଁର ଜଗତରାମ ପଧାନଙ୍କ ଥିବା ଜମିକୁ ଦେଖାଇ କେହି ଫସଲବୀମା ଟଙ୍କା ହଡପ କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକ୍ରମେ ପିତବାସ ମିଶ୍ରଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ହେଇଥିବା କିରାଣି ପିତବାସ ମିଶ୍ରଙ୍କ ଘର ବୈାଦ୍ଧ ଜିଲ୍ଲା ବାଗବାହାଲି ଗାଁ ହୋଇଥିବା ବେଳେ ସେ ଦୀର୍ଘ ବର୍ଷ ଧରି କଣ୍ଟାବାଞ୍ଜି କୋର୍ଟରେ କାମ କରୁଥିଲେ । ବର୍ତ୍ତମାନ ସୁଦ୍ଧା କେବଳ କଣ୍ଟାବାଞ୍ଜି ଥାନାରେ ଦଶ ଜଣକୁ ପୁଲିସ ଗିରଫ କରିସାରିଥିବା ବେଳେ ଏଥିରେ ଆହୁରି ଅନେକ ଫସିବାର ସମ୍ଭାବନା ରହିଛି । କେବଳ ଏହି ଗୋଟିଏ ଥାନା କାହିଁକି ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ଏହି ଠକେଇ କାରବାର କରାଯାଇଥିବା ବେଳେ ସିଏଚସି ଅପରେଟର ମାନଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଛି । ତେବେ ଜିଲ୍ଲାସ୍ତରରେ ଏକ ସ୍ୱତନ୍ତ୍ର ଟିମ କରି ଏହି ଘଟଣାର ତଦନ୍ତ କଲେ ଅନେକ ବଡବଡିଆ, ରାଜନେତା, ସିଏଚସି ଅପରେଟର ପୁଲିସ ହାତରେ ଗିରଫ ହୋଇ ଜେଲ ଯିବେ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି ।

 

Leave A Reply

Your email address will not be published.